ORIYA

‘ଜ୍ଞାନବ୍ୟାପୀ ଓ ସାହି ଇଦଗା ମସଜିଦକୁ ମୁସଲିମ ପକ୍ଷ ହିନ୍ଦୁଙ୍କୁ ହସ୍ତାନ୍ତର କରିଦେବା ଉଚିତ’

ଥିରୁଅନନ୍ତପୁରମ: ଆସନ୍ତାକାଲି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଉତ୍ତର ପ୍ରଦେଶ ଅନ୍ୟ ଦୁଇ ପ୍ରମୁଖ ଆଧ୍ୟାତ୍ମିକ କ୍ଷେତ୍ର ବାରାଣାସୀର କାଶୀବିଶ୍ବନାଥ ମନ୍ଦିର- ଜ୍ଞାନବ୍ୟାପୀ ମସଜିଦ ଓ ମଥୁରାରେ ମଧ୍ୟ ଶ୍ରୀକୃଷ୍ଣ ଜନ୍ମଭୂମି- ସାହି ଇଦଗା ମସଜିଦ ମଧ୍ୟରେ ବିବାଦ କୋର୍ଟରେ ବିଚାରାଧୀନ ରହିଛି । ତେବେ ଏହି ଉଭୟ ମସଜିଦର ଢାଞ୍ଚା ହିନ୍ଦୁ ମନ୍ଦିର ଧ୍ବଂସାବଶେଷ ଉପରେ ନିର୍ମାଣ ହୋଇଥିବାର ସଙ୍କେତ ଦେଇଛନ୍ତି ରାମ ମନ୍ଦିର-ବାବ୍ରୀ ମସଜିଦ ମାମଲାରେ ସର୍ଭେରେ ସାମିଲ ଥିବା ବରିଷ୍ଠ ପ୍ରତ୍ନତତ୍ତ୍ବବିତ କେ.କେ ମହମ୍ମଦ । ଏପରିକି ଏହି ଦୁଇ ବିବାଦୀୟ ମାମଲାରେ ମୁସଲିମ ପକ୍ଷ ଉଭୟ ଜ୍ଞାନବ୍ୟାପୀ ଓ ମଥୁରାର ସାହି ଇଦଗା ମସଜିଦ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କରିଦେବା ଉଚିତ ବୋଲି କହିଛନ୍ତି ମହମ୍ମଦ । କେ.କେ ମହମ୍ମଦ ହେଉଛନ୍ତି ଜଣେ ବରିଷ୍ଠ ଭାରତୀୟ ପ୍ରତ୍ନତତ୍ତ୍ବ ବିଜ୍ଞାନୀ । ସେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ବା ‘ଏଏସଆଇ’ ଉତ୍ତର-ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ସେ ଏକାଧିକ ପ୍ରମୁଖ ଐତିହାସିକ ବିବାଦୀୟ ସର୍ଭେରେ ଅଂଶଗ୍ରହଣ କରିବା ସହ ବହୁ ନିର୍ଣ୍ଣାୟକ ତଥ୍ୟ ମଧ୍ୟ ହାସଲ କରିଛନ୍ତି । ସେ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ ମାମଲାରେ ମଧ୍ୟ ଉଚ୍ଚସ୍ତରୀୟ ସର୍ଭେ ଟିମର ସଦସ୍ୟ ଥିଲେ । ଏହା ବ୍ୟତୀତ ସେ ମୋଗଲ ଶାସକ ଆକବରଙ୍କ ନିର୍ମିତ ଇବାତଦ ଖାନା ସର୍ଭେରେ ମଧ୍ୟ ଅଂଶଗ୍ରହଣ କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉନ୍ମୋଚିତ କରିପାରିଥିଲେ । ବାବ୍ରୀ ମସଜିଦ ଖନନ ଓ ସର୍ଭେରେ ପ୍ରଫେସର ବି.ବି ଲାଲାଙ୍କ ଟିମର ଜଣେ ପ୍ରମୁଖ ସଦସ୍ୟ ଥିଲେ କେ.କେ ମହମ୍ମଦ । ମହମ୍ମଦଙ୍କ କହିବା ଅନୁସାରେ, ପ୍ରଫେସର ବି.ବି ଲାଲଙ୍କ ନେତୃତ୍ୱରେ ଯେଉଁ ସର୍ଭେ ହୋଇଥିଲା ସେଥିରେ ମସଜିଦର କିଛି ଅଂଶରେ ଅନେକ ସ୍ତମ୍ଭ ଆକୃତିର ନିର୍ମାଣର ଅବଶେଷ ଠାବ କରିଥିଲେ । କେବଳ ସ୍ତମ୍ଭ ନୁହେଁ ବରଂ ଖନନ ସମୟରେ କାନ୍ଥର ଭଗ୍ନାବଶେଷରେ ହିନ୍ଦୁ ଦେବତା ଏବଂ ଦେବୀଙ୍କର ଅନେକ ଖୋଦେଇ ରହିଥିଲା । ସେହିପରି ପ୍ରସ୍ତର ଖୋଦେଇ କାମରେ ପଶୁ, ମହିଳା, ଯୋଦ୍ଧାଙ୍କ ପ୍ରତିକୃତି ଏବଂ ବିଭିନ୍ନ ସାମଗ୍ରୀ ଦ୍ବାରା ନିର୍ମିତ ଟେରାକୋଟା ମୂର୍ତ୍ତିର ଅବଶେଷ ମଧ୍ୟ ଠାବ କରାଯାଇଥିଲା । ମହମ୍ମଦ ଆହୁରି ମଧ୍ୟ କହିଛନ୍ତି, ସେ ଅଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକ ଶେଷ କରିବା ପରେ ଏଏସଆଇ କଲେଜରେ ପ୍ରତ୍ନତତ୍ତ୍ବ ବିଜ୍ଞାନ ଅଧ୍ୟୟନ ଆରମ୍ଭ କରିଥିଲେ । ଏହି ସମୟରେ ସେ ଏହି ପ୍ରଫେସର ବିବି ଲାଲାଙ୍କ ନେତୃତ୍ବରେ ଏହି ଐତିହାସିକ ଖୋଦେଇ ଟିମର ସଦସ୍ୟ ହୋଇଥିଲେ । ଏହି ଟିମରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ପତ୍ନୀ ଜୟଶ୍ରୀ ରାମନାଥନ ମଧ୍ୟ ସଦସ୍ୟା ଥିଲେ । ଏହି ଖନନ ସର୍ଭେରେ ଦଳର ନେତୃତ୍ୱ ନେଇଥିବା ଡା. ବିବି ଲାଲ କୌଣସି ଅସ୍ଥିରତା ଓ ସାମ୍ପ୍ରଦାୟିକ ହିଂସା ଆଶଙ୍କାରେ ରିପୋର୍ଟକୁ ସାର୍ବଜନୀନ କରିବାକୁ ଚାହୁଁ ନଥିଲେ । ଖନନରେ ନିୟୋଜିତ ଥିବା କମ୍ୟୁନିଷ୍ଟ ଐତିହାସିକ ପ୍ରଫେସର ଇରଫାନ ହବିବଙ୍କ ନେତୃତ୍ୱରେ ଏକ ପ୍ରେସ ବିବୃତ୍ତି ଜାରି କରାଯାଇଥିଲା । ପ୍ରଫେସର ଲାଲଙ୍କ ନେତୃତ୍ବାଧୀନ ଟିମ ଖନନରୁ କୌଣସି ତଥ୍ୟ ପାଇନାହିଁ ବୋଲି ସେତେବେଳେ କୁହାଯାଇଥିଲା । ଏହା ମଧ୍ୟ ପଢନ୍ତୁ :- ଧାର୍ମିକ ନୀତିର ଶେଷ ଦିନ, ଆଜି 125 କଳସ ଜଳରେ ସ୍ନାନ କରିବେ ରାମଲାଲା ତେବେ ମଥୁରା ପ୍ରସଙ୍ଗରେ ମଧ୍ୟ ତାଙ୍କର ମତ ସମାନ । ହିନ୍ଦୁ ମନ୍ଦିରର ଢାଞ୍ଚା ଉପରେ ଏହି ଇଦଗାହ ମସଜିଦ ନିର୍ମାଣ କରାଯାଇଛି । ଉଭୟ ଜ୍ଞାନବ୍ୟାପୀ ଓ ସାହି ଇଦଗା ପ୍ରସଙ୍ଗରେ ମୁସଲିମ ପକ୍ଷ ସହଯୋଗର ସହ ହିନ୍ଦୁ ପକ୍ଷଙ୍କୁ ବିବାଦୀୟ ଜମି ପ୍ରଦାନ କରିବା ହିଁ ସ୍ଥାୟୀ ସମାଧାନ ବୋଲି ମହମ୍ମଦ କହିଛନ୍ତି । ଏହି 3 ପ୍ରମୁଖ ପୌରାଣିକ ଧାର୍ମିକ ସ୍ଥଳୀ ଅଯୋଧ୍ୟା, କାଶୀ ଓ ମଥୁରାରେ ମୁସଲିମ ପକ୍ଷ ହିନ୍ଦୁପକ୍ଷଙ୍କୁ ସହଯୋଗ କରିବା ଉଚିତ ବୋଲି ସେ କହିଛନ୍ତି । ତେବେ ରାମ ମନ୍ଦିର ପ୍ରତିଷ୍ଠାର ମାତ୍ର କେଇ ଘଣ୍ଟା ପୂର୍ବରୁ ଜଣେ ବରିଷ୍ଠ ପ୍ରତ୍ନତତ୍ତ୍ବବିତଙ୍କର ଏପରି ମନ୍ତବ୍ୟ ଏବେ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.