ORIYA

ରାମଙ୍କ ବନବାସର ସାକ୍ଷୀ ମିରିଗ ଖୋଜ, ଏଇଠି ରହିଛି ଅଦ୍ଭୂତ ଫଳ

ରାଉରକେଲା: ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶ ଏବଂ ବିଶ୍ୱରେ ଗୋଟିଏ ଚର୍ଚ୍ଚା ଶ୍ରୀରାମଙ୍କ ଆଗମନ । ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଚଳଚଞ୍ଚଳ ସମ୍ପୂର୍ଣ୍ଣ ଜୀବ ଜଗତ । ତେବେ ସୁନ୍ଦରଗଡ଼ ଜିଲ୍ଲାରେ ଭରି ରହିଛି ରାମଙ୍କ କଥା କହୁଥିବା ଅନେକ ସ୍ଥାନ । ଯାହା ଆଜି ମଧ୍ୟ ରହସ୍ୟମୟ ଘେରରେ ରହିଛି । ଲୋକକଥା ଅନୁଯାୟୀ ପ୍ରଭୁ ଶ୍ରୀରାମଙ୍କ ସହ ଅଙ୍ଗାଙ୍ଗୀ ଭାବରେ ଜଡିତ ଏହି ସୁନ୍ଦରଗଡ଼ର ମିରିଗ ଖୋଜ ଅଞ୍ଚଳ । ଏଠାରେ ଶ୍ରୀରାମଙ୍କ ଧର୍ମପତ୍ନୀ ମାତା ସୀତା ଏବଂ ଭାଇ ଲକ୍ଷ୍ମଣ ସହ ଏଠାରେ ରହୁଥିବା ଲୋକକଥା ରହିଛି । ଜିଲ୍ଲାର କାଲଟାର ଘଞ୍ଚ ଜଙ୍ଗଲ ଏବଂ ସବୁଜ ବନାନୀ ମଧ୍ୟରେ ରହିଛି ଏହି ଆଲୌକିକ ସ୍ଥାନ । ତ୍ରେତୟା ଯୁଗରେ ଯେତେବେଳେ ଶ୍ରୀରାମ ବନବାସରେ ଆସିଥିଲେ ସେ ସମୟରେ କାହାଣୀ ସହ ଜଡିତ ଏହି ସ୍ଥାନ । ବର୍ତ୍ତମାନ ମଧ୍ୟ ଏହି ସ୍ଥାନର ରହିଛି ସ୍ୱତନ୍ତ୍ର ପରିଚୟ । ତେବେ ଲୋକକଥା ରହି ଆସିଛି ଯେ ଯେତେବେଳେ ରାମ ତାଙ୍କ ପତ୍ନୀ ମାତା ସୀତା ଏବଂ ଭାଇ ଲକ୍ଷ୍ମଣ ସହ ବନବାସକୁ ଆସିଥିଲେ ଏବଂ ସୂର୍ପଣଖା ରାମଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ । ସେତେବେଳେ ଲକ୍ଷ୍ମଣ ସୂର୍ପଣଖାଙ୍କ ନାକ କାଟି ଦେଇଥିଲେ । ଯାହାଫଳରେ ଲାଜ ଏବଂ ରାଗରେ ସୂର୍ପଣଖା ଯାଇ ଦଶାନନ ରାବଣଙ୍କୁ ସମସ୍ତ ଘଟଣା କ୍ରମ କହିଥିଲେ । ସେ ସମୟରେ ରାବଣ ସୀତାଙ୍କୁ ଅପହରଣ କରିବାକୁ ନିଜର ଷଡ଼ଯନ୍ତ୍ର ଆରମ୍ଭ କରିଥିଲା । ରାକ୍ଷସ ମାରିଚ ଏକ ସୁନାର ହରିଣ ବା ମୃଗ ହୋଇ ଆସି ସୀତାଙ୍କୁ ନିଜ ଷଡ଼ଯନ୍ତ୍ରରେ ଫସାଇ ଦେଇଥିଲେ । ତେବେ ଯେତେବେଳେ ମାତା ସୀତା ଏହି ସୁନାର ମୃଗକୁ ଆଣିବାକୁ ଜିଦ କରଥାନ୍ତି । ସେ ସମୟରେ ଶ୍ରୀରାମ ଏହି ଅଞ୍ଚଳରୁ ମୃଗକୁ ଖୋଜିବା ପାଇଁ ବାହାରି ଥିଲେ । ତେବେ ସେହି ଘଟଣାଠାରୁ ଏହି ସ୍ଥାନଟି ମିରିଗଖୋଜ ନାମରେ ପରିଚିତ ହୋଇଛି । ଏହା ମଧ୍ୟ ପଢନ୍ତୁ ....ଧାର୍ମିକ ନୀତିର ଶେଷ ଦିନ, ଆଜି 125 କଳସ ଜଳରେ ସ୍ନାନ କରିବେ ରାମଲାଲା ବନବାସ ସମୟର ସାକ୍ଷୀ : ଏଠାରେ ସାକ୍ଷୀ ବା ପ୍ରମାଣ ଭାବରେ ରହିଛି ବହୁ ଜିନିଷ ଯେଭଳି ଏଠାରେ ରହିଛି ସ୍ୱତନ୍ତ୍ର ଭାବରେ ରାମ କଦଳୀ, ରାମ ଆମ୍ବ ଏବଂ ରାମ ଡିମିରି ଫଳ । ଏହା ସହ ମାତା ସୀତା ଏବଂ ପ୍ରଭୁ ରାମ ପୂଜା କରୁଥିବା ମହାଦେବଙ୍କ ଶିବ ଲିଙ୍ଗ । ଯାହା ବର୍ତ୍ତମାନ ଗୁମ୍ଫା ମଧ୍ୟରେ ସ୍ଥାପନ ହୋଇ ରହିଛି । ଏଠାରେ ପ୍ରତ୍ୟକ ଦିନ ଶିବଙ୍କୁ ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି ଜଣେ ପୂଜକ । ତେବେ ଏହି ସବୁ ଫଳକୁ ଏବଂ ଶିବ ଲିଙ୍ଗକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କଥାରେ ଅଛି ପ୍ରଭୁ ରାମଚନ୍ଦ୍ର ନିଜ ଆଶୀର୍ବାଦରୁ ଏହି ଅଞ୍ଚଳରେ କଦଳୀ, ଡିମିରି ଏବଂ ଆମ୍ବ ଆବିର୍ଭାବ କରିଥିଲେ । ଯେଉଁ ରାମ କଦଳୀ ରହିଛି ତାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତ କଦଳୀ ଗଛରେ କଦଳୀ କାନ୍ଧି ସବୁ ତଳ ମୁହାଁ ହୋଇ ଫଳୁଥିବା ବେଳେ ଏହିଠାରେ ଥିବା କଦଳୀ କାନ୍ଧି ଉପର ମୁହାଁ । କଦଳୀ ଫୁଲ ମଧ୍ୟ ଉପରକୁ ଏବଂ କଦଳୀର ଫଳ ମଧ୍ୟ ଉପର ଆକାଶକୁ ମୁହଁ କରି ଫଳିଛି । ଦେଖିଲେ ଏହାକୁ ବିଶ୍ୱାସ କରିବା ଅସମ୍ଭବ । ଏଠାରେ ରହିଛି ରାମ ଡିମିରି । ରାମ ଡିମିରି କହିଲେ ଏହି ଡିମିରିଟି ସାଧାରଣ ଡିମିରି ଠାରୁ ବଡ଼ । ଗଛରେ କେବଳ ଡାଳରେ ନୁହେଁ ଗଛର ଚାରିପଟରେ ଉପରୁ ନେଇ ତଳ ସବୁଆଡେ ଫଳିଛି ଡିମିରି । ଆକାରରେ ମଧ୍ୟ ବଡ଼ ବଡ଼ ଏବଂ ଖାଇବାକୁ ସମ୍ପୂର୍ଣ୍ଣ ସ୍ୱାଦିଷ୍ଟ । ଏହାସହ ମିରିଗ ଖୋଜ ଜଙ୍ଗଲରେ ରହିଛି ରାମ ଆମ୍ବ । ଏହି ରାମ ଆମ୍ବ ଫଳଟି ସାଧାରଣ ଆମ୍ବ ଠାରୁ ଟିକେ ଛୋଟ । ଛୋଟ ଛୋଟ ଆମ୍ବ କିନ୍ତୁ ଫଳଟି ଆମ୍ବ ଭଳିଆ ଦେଖିବାକୁ ବିଲକୁଲ ନୁହେଁ । ଛୋଟ ଆକାରର ଆମ୍ବ ଖାଇଲେ ସମ୍ପୂର୍ଣ୍ଣ ସ୍ୱାଦ ଆମ୍ବ ଭଳି ଖଟା ମିଠା । ଏହି ସବୁ ଫଳ ପ୍ରଭୁ ଶ୍ରୀରାମ ନିଜେ ଆଶୀର୍ବାଦ ଦେଇ ଆବିର୍ଭାବ କରିଥିଲେ ତେଣୁ କରି ସବୁ ଫଳକୁ ରାମଙ୍କ ଆଖ୍ୟା ଦିଆଯାଇଛି । ଅନ୍ୟପଟେ ଗୁମ୍ଫା ମଧ୍ୟରେ ପାତାଳି ମହାଦେବ ଭାବରେ ପୂଜା ପାଉଛନ୍ତି ଭୋଲେନାଥ । ଏଠାରେ ରହିଛି ଗୁପ୍ତ ଗଙ୍ଗା । ତେବେ ଏହି ସ୍ଥାନର ପ୍ରଚାର ପ୍ରସାର ଅଭାବରୁ ଲୋକଙ୍କ ପାଖରେ ଅପହଞ୍ଚ ହୋଇ ରହିଛି । ପର୍ଯ୍ୟଟନ ବିଭାଗ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ସ୍ଥାନକୁ ବର୍ତ୍ତମାନ ସରକାରଙ୍କ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ନେଇ ରିପୋର୍ଟ ଯାଇଛି । ଇଟିଭି ଭାରତ, ରାଉରକେଲା None

About Us

Get our latest news in multiple languages with just one click. We are using highly optimized algorithms to bring you hoax-free news from various sources in India.